//ଗେଣ୍ଡୁ ଫୁଲ ଚାଷ ଦ୍ୱାରା ପନିପରିବା ଫସଲ ରେ ସୂତ୍ରକୃମି ନିୟନ୍ତ୍ରଣ

ଗେଣ୍ଡୁ ଫୁଲ ଚାଷ ଦ୍ୱାରା ପନିପରିବା ଫସଲ ରେ ସୂତ୍ରକୃମି ନିୟନ୍ତ୍ରଣ

ଆମ ଦେଶ ର ସବୁଠୁ ବେଶୀ ପନିପରିବା ଉତ୍ପାଦନ କରୁଥିବା ରାଜ୍ୟ ଭିତରୁ ଓଡିଶା ଅନ୍ୟତମ I ପନିପରିବା ଚାଷ ରେ ରୋଗ, ପୋକ, କୃମି ଏବଂ ପ୍ରାକୃତିକ ବିପର୍ଯୟ ପରି ଏମିତି ବହୁତ ପ୍ରତିବନ୍ଧ ଥାଏ I ସେ ଭିତରୁ ସୂତ୍ର କୃମି ଗୋଟେ ମୁଖ୍ୟ ଶତ୍ରୁ , ସୂତ୍ର କୃମି ଏମିତି ଏକ ସୂକ୍ଷ୍ମ ପରଜୀବୀ ଯାହାକୁ ଆମେ କେବଳ ଅଣୁବୀକ୍ଷଣ ଯନ୍ତ୍ର ଦ୍ୱାରା ଦେଖିପାରିବା ଆଉ ପ୍ରାୟତଃ ଏମାନେ ମାଟି ଭିତରେ ଆଉ ଗଛର ଚେର ଭିତରେ ଦେଖା ଯାଇଥାନ୍ତି I ସେମାନେ ଜୀବନଯାପନ ପାଇଁ ଆଉ ପୋଷଣ ପାଇଁ ଗଛ ଉପରେ ହିଁ ସମ୍ପୂର୍ଣ ଭାବେ ନିର୍ଭର କରନ୍ତି I ଏମାନେ ଖାଦ୍ୟଶସ୍ୟ, ପନିପରିବା, ଫୁଲ, ଫଳ ଇତ୍ୟାଦି କୁ ଆକ୍ରମଣ କରିଥାନ୍ତି I ସୂତ୍ରକୃମି ଯେପରିକି ମେଲୋଡୋଗାଇନି, ହେଟେରୋଡେରା, ରୋଟିଲେନକଶ ମୁଖ୍ୟ ରୂପ ରେ ପନିପରିବା କୁ କ୍ଷତି ପହଞ୍ଚେଇଥାନ୍ତି I ଏମାନେ ବିଶେଷ କରି ଆଳୁ, ଲଙ୍କା, ବାଇଗଣ, ଟମାଟୋ, କୋବି, ବୀଟ, ମୂଳା, ଗାଜର, ଝୁଡୁଙ୍ଗ, ବିନ୍ସ୍, ଭେଣ୍ଡି, କଦଳୀ ଇତ୍ୟାଦି କୁ ଆକ୍ରାନ୍ତ କରିଥାନ୍ତି I ଏମାନେ ଚେର ରେ ଅଣ୍ଡା ଦେଇଥାନ୍ତି ଆଉ ଅଣ୍ଡା ରୁ ଲାର୍ଭା ବାହାରି ଗଛ କୁ ଆକ୍ରାନ୍ତ କରିଥାଏ I ଯେହେତୁ ସେମାନେ ଗଛ ର ଚେର କୁ ଆକ୍ରମଣ କରିଥାନ୍ତି ଗଛ ର ପୋଷାକ ତତ୍ୱ ଆଉ ଜଳ ପ୍ରବାହନ       ବାଧାପ୍ରାପ୍ତ ହେଇଥାଏ ଯାହାଦ୍ୱାରା ଚେର ଟି ଠିକ ଭାବେ ବଢ଼ିପାରେନାହିଁ, ଗଛ ର ରୋଗ ପ୍ରତିରୋଧକ ଶକ୍ତି କମି ଯାଏ, ଗଛ ଝାଉଁଳି ଯାଏ, ପତ୍ର ଗୁଡିକ ହଳଦିଆ ହେଇ ଝଡ଼ିଯାଏ ଆଉ ଫସଲ ର ଅମଳ କମିଯାଏ I ସଂକ୍ରମିତ ଚେର ଗୁଡିକ ସହଜ ରେ ଛିଣ୍ଡି ନଥାଏ ଆଉ ଚେର ର ଅଧିକାଂଶ ଅଂଶ ଫୁଲି ଗଣ୍ଠି ଭଳି ହେଇଯାଏ I ଗଛ ରେ ଯଦି ପ୍ରଚୁର ପରିମାଣ ରେ ଜଳ ଆଉ ଯବକ୍ଷାରଜନ ଜାତୀୟ ସାର ଦିଆଯାଏ ତେବେ ସୂତ୍ର କୃମି ମାନଙ୍କ ସଂଖ୍ୟା ବଢିଥାଏ I ଯେହେତୁ ସେମାନେ ସୂକ୍ଷ୍ମ, ଆଉ ମାଟି କିମ୍ବା ଚେର ଭିତରେ ଥାଆନ୍ତି ସେମାନଙ୍କୁ ନିୟନ୍ତ୍ରଣ କରିବା ବହୁତ କଷ୍ଟ I

ଆଫ୍ରିକାନ ଗେଣ୍ଡୁଫୁଲ ( ଟାଗେଟିସ ଇରେକ୍ଟା ), ଫ୍ରେଞ୍ଚ ଗେଣ୍ଡୁଫୁଲ ( ଟାଗେଟିସ ପାଟୁଲା ) ସୂତ୍ରକୃମି ନିୟନ୍ତ୍ରଣ ଦୃଷ୍ଟି ରୁ ବହୁତ ସାହାଯ୍ୟକାରୀ ଅଟେ I ଚେର ରୁ କ୍ଷରଣ ହେଇଥିବା କିଛି ରାସାୟନିକ ପଦାର୍ଥ ଦ୍ୱାରା ଏହା ସୂତ୍ର କୃମି ନିୟନ୍ତ୍ରଣ କରିଥାଏ I ଯେହେତୁ ଏହା ଏକ ଜୈବିକ ଆଉ ପ୍ରାକୃତିକ ପଦ୍ଧତ୍ତି, ପରିବେଶ ଦୃଷ୍ଟି ରୁ ଏହା ନିରାପଦ ଆଉ ଅଳ୍ପଵ୍ୟୟୀ ଅଟେ I  ଏହି ଗଛ ର ଚେର ରୁ ଆଲଫା-ଟରଥିନୀଲ (α Terthienyl) ନାମକ ଏବଂ ଆମିନ (Amine), ଆମିଡ଼ (Amide), ଫେନଲ (Phenol) କିଟୋନ (Ketone) ଜାତୀୟ ବହୁତ ରାସାୟନିକ ପଦାର୍ଥ ସ୍ରାବ ହେଇଥାଏ ଯାହା ସୂତ୍ରକୃମି ସଂଖ୍ୟା କୁ କମେଇଥାଏ I ଏମାନଙ୍କ ଭିତରୁ ଆଲଫା-ଟରଥିନୀଲ (α Terthienyl) ବେଶୀ ବିଷାକ୍ତ ଆଉ ଫଳପ୍ରଦ I ସଲଫର ଯୁକ୍ତ ଏହି ପଦାର୍ଥ ଟି ପ୍ରଚୁର ପରିମାଣ ରେ କେବଳ ଜୀବନ୍ତ ଗେଣ୍ଡୁଫୁଲ ଗଛ ର ଚେର ରୁ ବାହାରିଥାଏ I ଆଉ ଏହା ଉପରେ ସୂର୍ଯ୍ୟ କିରଣ ପଡିଲେ ଏହା ନିଷ୍କ୍ରିୟ ଏବଂ ଅବିଶକ୍ତ ହେଇଯାଏ I ଏହି ପଦାର୍ଥ ଟି ସୂତ୍ରକୃମି ର ଅଣ୍ଡା ଦେବା ଆଉ ଅଣ୍ଡା ରୁ ଲାର୍ଭା ବାହାରିବା ପ୍ରକ୍ରିୟା ଉପରେ ପ୍ରଭାବ ପକେଇଥାଏ ଯାହା ଦ୍ୱାରା ମାଟିରେ ସେମାନଙ୍କ ସଂଖ୍ୟା କମିଯାଏ ଆଉ ଗଛ ର ଏତେ କ୍ଷୟକ୍ଷତି ହୁଏନି I  ସୂତ୍ରକୃମି ର ଗତିବିଧି ଉପରେ ପ୍ରଭାବ ପକେଇବା ଛଡା ଏହି ପଦାର୍ଥ ଟି ଅନ୍ୟ ରୋଗଜନିତ କୀଟାଣୁ ଆଉ ପୋକ ମାନଙ୍କ ଠାରୁ ବି କିଛି ମାତ୍ର ରେ ସୁରକ୍ଷା ପ୍ରଦାନ କରିଥାଏ I

ସଠିକ ଭାବେ ନିୟନ୍ତ୍ରଣ କରିବା ପାଇଁ ହେଲେ ଗେଣ୍ଡୁଫୁଲ ଗଛ କୁ ମୁଖ୍ୟ ଫସଲ ଲଗେଇବା ପୂର୍ବରୁ ଅଥବା ଲଗେଇବା ସମୟରେ ଅନ୍ତଃ ଫସଲ ଭାବେ ଧାଡି ଧାଡି ଭିତରେ କିମ୍ବା ବିଲ ଆଉ ନର୍ସରୀ ପରିପାର୍ଶ୍ଵ ସୀମା ରେ ଲଗେଇବା ଉଚିତ I ମୁଖ୍ୟ ଫସଲ ଲଗେଇବା ର ମାସେ କିମ୍ବା ଦୁଇ ମାସ  ପୂର୍ବରୁ ଗେଣ୍ଡୁଫୁଲ ଗଛ ଲଗେଇବା ବେଶୀ ଲାଭଜନକ ଥାଏ କାରଣ ଏହା ଦ୍ୱାରା ମାଟି ଭିତରେ ଆଗରୁ ଥିବା କୃମି ସବୁ ମରିଯାନ୍ତି ଯାହାଫଳରେ ଚାରା ର ବୃଦ୍ଧି ଭଲ ଭାବରେ  ହେଇଥାଏ I  ଅନ୍ୟତଃ ମୁଖ୍ୟ ଫସଲ ଲଗେଇବା ସମୟ ରେ ବି ତା ସହ ଆମେ ଗେଣ୍ଡୁଫୁଲ କୁ ଲଗେଇ ପାରିବା I ମୁଖ୍ୟ ଫସଲ ଆଉ ଗେଣ୍ଡୁଫୁଲ କୁ ୩ : ୧ ଅନୁପାତ ରେ ଧାଡି ଧାଡି କରିକି ଲଗା ଯାଇଥାଏ I

ସଂଗୃହିତ – ରୁଦ୍ର ପ୍ରତାପ ସୁବୁଦ୍ଧି, ସୂତ୍ରକୃମି ବିଭାଗ, ଓୟୁଏଟି, ଭୁବନେଶ୍ଵର,

Source